ଭାରତୀୟ କୃଷକଙ୍କ ସୁରକ୍ଷା ଚିନ୍ତା | Sambad sambad.in

sambad.in

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରଂପ୍‌ ଆଜି ଭାରତ ଗସ୍ତରେ ଆସୁଛନ୍ତି। ଯଦିଓ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ବିଧିବଦ୍ଧ ଭାବେ କୁହାଯାଇଛି ଯେ ଟ୍ରଂପ୍‌ଙ୍କ ଏହି ଭାରତ ଗସ୍ତ ବେଳେ କୌଣସି ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହେବ ନାହିଁ, ତଥାପି ଆମେରିକାରେ ପ୍ରଚୁର ବଳକା କୃଷିଜ, ଯାହା ସେହି ଦେଶ ଲାଗି ମୁଣ୍ଡବ୍ୟଥାର କାରଣ ହୋଇଛି, ତାର ରପ୍ତାନି ଲାଗି ଯେ ମାର୍ଗ ପ୍ରଶସ୍ତ କରାଯିବାର ଉଦ୍ୟମ ହେବନାହିଁ, ଏହା କୁହାଯାଇ ନ ପାରେ। ଆମେରିକାରେ କୃଷି ଉତ୍ପାଦନ ବଢ଼ିବାରେ ଲାଗିଥିବା ବେଳେ ଆମେରିକା ଏବ˚ ଚୀନ୍‌ ଭିତରେ ବାଣିଜ୍ୟକୁ ନେଇ ଯୁଦ୍ଧ ଚାଲିଛି। ତେଣୁ ଆମେରିକାରୁ କୃଷି ଉପଜର ରପ୍ତାନି ବିଶେଷ ହ୍ରାସ ପାଇଛି। ଫଳରେ ଆମେରିକା ସରକାରଙ୍କ ମୁଣ୍ତ ଉପରେ କୃଷିଜର ରପ୍ତାନିକୁ ନେଇ ସ˚କଟର ବାଦଲ ଘୋଟି ହୋଇରହିଛି।

ଆମେରିକାରର କୃଷି କ୍ଷେତ୍ର ରପ୍ତାନି ଉପରେ ନିର୍ଭରଶୀଳ। ୨୦୧୧-୧୩ରେ କପା ଏବ˚ ବାଦାମ ଉତ୍ପାଦନର ୭୦% ଏବଂ ଗହମ ଓ ଚାଉଳ ଉତ୍ପାଦନର ୫୦% ଆମେରିକା ରପ୍ତାନି କରିଥିଲା। କିନ୍ତୁ ୨୦୧୮ରେ ଆମେରିକାର ରପ୍ତାନି ମାତ୍ର ୧% ବଢ଼ି ୧୪୦ ବିଲିଅନ ଡଲାର ହୋଇଛି। ଏପଟେ ଆମେରିକାର କୃଷି ଉତ୍ପାଦନ ୬% ବଢ଼ି ୧୨୯ ବିଲିଅନ ଡଲାର ହୋଇଛି।

ଏଣୁ ଆମେରିକାର କୃଷିକ୍ଷେତ୍ରରୁ ଲାଭ ହୋଇଛି ମାତ୍ର ୧୧ ବିଲିଅନ ଡଲାର, ଯାହା ବିଗତ ୧୪ ବର୍ଷ ଭିତରେ ସର୍ବନିମ୍ନ। ଆମେରିକାର କୃଷି ରପ୍ତାନି କମ୍‌ ହୋଇଥିବା କାରଣରୁ ଘରୋଇ ବଜାରରେ କୃଷି ଉତ୍ପାଦନର ମୂଲ୍ୟ ମଧୢ ହ୍ରାସ ପାଉଛି। ଏଣୁ କୃଷିଜ ରପ୍ତାନି ବୃଦ୍ଧି କରିବା ପାଇଁ ଆମେରିକା କଲମ୍ବିଆ, ପାନାମା ଏବ˚ ଦକ୍ଷିଣ କୋରିଆ ସହ ନୂଆ ବାଣିଜ୍ୟିକ ଚୁକ୍ତିରେ ସ୍ବାକ୍ଷର କରିସାରିଛି। ଏହି ଚୁକ୍ତି ବ୍ୟାପରରେ ଆମେରିକା କୃଷି ଉତ୍ପାଦନ ରପ୍ତାନିର ମୂଲ୍ୟ ୨.୨ ବିଲିଅନ ଡଲାର ପର୍ଯ୍ୟନ୍ତ ବଢ଼ିବ ବୋଲି ଆଶା କରାଯାଉଛି।

ଏହି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପ୍‌ଙ୍କ ଉପସ୍ଥିତିରେ ଭାରତ ଏବ˚ ଆମେରିକା ମଧୢରେ କୃଷିଜ ବାଣିଜ୍ୟକୁ ନେଇ ଚୁକ୍ତି ସ୍ବାକ୍ଷରିତ ହେବା ଦିଗରେ ପ୍ରୟାସ କରାଯାଇପା‌ରେ। ନିଜ ଦେଶର କୃଷି କ୍ଷେତ୍ରକୁ ରକ୍ଷା କରିବା ପାଇଁ ଆମେରିକା ନୂଆ ବଜାରର ଅନ୍ବେଷଣରେ ଅଛି। ୨୦୧୯ରେ ଆମେରିକା ଭାରତ ସହିତ ‘ଜେନେରାଲାଇଜ୍ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସ’(GSP) ଚୁକ୍ତିକୁ ରଦ୍ଦ କରିଥିଲା। ଏହି ଚୁକ୍ତି ଫଳରେ ବିନା ରପ୍ତାନି ଶୁଳ୍‌କରେ ଭାରତ ୬ ବିଲିଅନ ଡଲାର ଉତ୍ପାଦ ଆମେରିକାକୁ ପଠାଉଥିଲା। ଚୁକ୍ତି ରବ୍ଦ ହେବା ପରେ ଭାରତ ଏ ସୁବିଧା ହରାଇବା ପରେ ଆମେରିକାର ୨୮ଟି ଉତ୍ପାଦ ଉପରେ ଆମଦାନି ଶୁଳ୍‌କ ବଢ଼ାଇଥିଲା। କିଛି ପ୍ରତିଷ୍ଠିତ ଖବର କାଗଜରେ ପ୍ରସାରିତ ଖବର ଅନୁସାରେ ଏହି ଚୁକ୍ତି(GSP)କୁ ଆଉ ଥରେ କାର୍ଯ୍ୟକାରୀ କରିବା ପାଇଁ ଆମେରିକା ଚେଷ୍ଟା କରୁଛି। ଯଦି ଏମିତି କିଛି ଚୁକ୍ତି ସ୍ବାକ୍ଷରିତ ହୁଏ, ତା’ହେଲେ ଏକ ଅତ୍ୟନ୍ତ ବିପୁଳ ପରିମାଣର କୃଷିଜ ଆମେରିକା ଦ୍ବାରା ଭାରତକୁ ରପ୍ତାନି କରାଯାଇପାରେ।

୧୩ ନଭେମ୍ବର ୨୦୧୯ରେ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ଆମେରିକାର ବ୍ୟାପାର ପ୍ରତିନିଧି ରବର୍ଟ ଲାଇଟ୍‌ ହାଇଜର‌୍‌ଙ୍କ ମଧୢରେ ସାକ୍ଷାତ ସମୟରେ ବାଣିଜ୍ୟ ଚୁକ୍ତି ଉପରେ ଚର୍ଚ୍ଚା ହୋଇଥିଲା। ଏହାପରେ ସେହି ନଭେମ୍ବର ମାସର ତୃତୀୟ ସପ୍ତାହରେ ଆମେରିକାର ଏକ ବାଣିଜ୍ୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ଭାରତ ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଅନେକ ଆଲୋଚନା ହୋଇଚାଲିଛି।

ତେଣୁ, ଯଦି ଦୈବାତ୍‌ ଭାରତ ଓ ଆମେରିକା ମଧୢରେ କୃଷିଜ ରପ୍ତାନି ସମ୍ବନ୍ଧିତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୁଏ, ତେବେ ଦୁଗ୍ଧ ଉତ୍ପାଦ, ସେଓ, ଆକରୋଟ, ବାଦାମ, ସୋୟାବିନ୍‌, ଗହମ, ଚାଉଳ, ମକା, କୁକୁଡ଼ା ଚାଷର ଉତ୍ପାଦର ଆମଦାନି ଆମେରିକାରୁ ବହୁତ କମ୍‌ ଶୁଳ୍‌କରେ ଭାରତକୁ କରାଯିବ। ଏହାର ଭୟଙ୍କର କୁପରିଣାମ ଭାରତର କୃଷକମାନେ ଭୋଗିବେ। ଭାରତର କୃଷକ କୌଣସି ରୂପେ ଆମେରିକାର କୃଷକ ସହିତ ତୁଳନୀୟ ନୁହେଁ। ଆମେରିକାରେ ୨୦୧୪ କୃଷି ବିଲ୍‌ରେ ସେ ଦେଶ ଆଗାମୀ ଦଶ ବର୍ଷ ପାଇଁ ସବ୍‌ସିଡି ରାଶି ୯୫୬ ବିଲିଅନ୍‌ ଡଲାର ବଣ୍ଟନ କରିଥିଲା। ୨୦୧୯ର କୃଷି ବିଲ୍‌ରେ ରହି ସବ୍‌ସିଡି ରାଶିକୁ ବଢ଼ାଇ ଆଗାମୀ ୪ ବର୍ଷ ପାଇଁ ୮୭୬ ବିଲିଅନ୍‌ ଡଲାର କରି ଦେଇଛି। ତେଣୁ ସେଠାକାର ଚାଷୀମାନେ ଅତ୍ୟନ୍ତ ସମୃଦ୍ଧ। କିନ୍ତୁ ଆମ ଦେଶରେ କେନ୍ଦ୍ର ସରକାର ୨୦୨୦-୨୧ରେ ଆଣିଥିବା ବଜେଟ୍‌ରେ କୃଷି, ଗ୍ରାମୀଣ, ଜଳସେଚନ କ୍ଷେତ୍ର ପାଇଁ ପ୍ରାୟ ୪୦ ବିଲିଅନ ଡଲାର (୨.୮ ଲକ୍ଷ କୋଟି ଟଙ୍କା) ବିନିଯୋଗ ପାଇଁ ରଖିଛନ୍ତି। ଧୢାନ ଦେଲେ ଆମେ ଜାଣିପାରିବା ଯେ ଆମେରିକା ସରକାର ୨୧୭ ବିଲିଅନ୍‌ ଡଲାର ସବ୍‌ସିଡି ଦେଉଥିବା ବେଳେ ଆମ ଦେଶର ସରକାର ମାତ୍ର ୪୦ ବିଲିଅନ ଡଲାର କୃଷି, ଗ୍ରାମୀଣ ଓ ଜଳସେଚନ ପାଇଁ ବ୍ୟବହାର କରୁଛି। ତେଣୁ, ସ୍ବାଭାବିକ ଭାବେ ଭାରତର କୃଷକ ଆମେରିକା କୃଷକଙ୍କ ସହ ମୁକାବିଲା କରିପାରିବେ ନାହିଁ।

ଏହା ପରେ ଆମେରିକାର ଜନସ˚ଖ୍ୟା ଓ କୃଷିଯୋଗ୍ୟ ଭୂମିର ଅନୁପାତର ତୁଳନା ଭାରତ ସହିତ କରାଯାଇ ନ ପାରେ। କାରଣ ଏହା ଭିତରେ ଆକାଶ-ପାତାଳ ପାର୍ଥକ୍ୟ ରହିଛି। ଭାରତ ମୁକାବିଲାରେ ଆମେରିକା ତାର କୃଷି ଭିତ୍ତିଭୂମି ବିକାଶରେ ବହୁତ ଅଧିକ ଖର୍ଚ୍ଚ କରିଥାଏ। ପୂରା ଦୁନିଆରେ ଆମେରିକା ସବୁଠୁ ଅଧିକ ସବ୍‌ସିଡି ତା’ର କୃଷକଙ୍କୁ ଦେଇଥାଏ।

ବିଶ୍ବ ବ୍ୟାପାର ସ˚ଗଠନ (WTO) ହେବା ପରେ ଆମେରିକା ତା’ର ପ୍ରତ୍ୟେକ କୃଷି ବିଲ୍‌ରେ ଦିଆଯାଉଥିବା ସବ୍‌ସିଡିକୁ ବଢ଼ାଉଛି। କିନ୍ତୁ ଅପର ପକ୍ଷେ ପ୍ରଗତିଶୀଳ ଦେଶ ଉପରେ ଲଗାତାର ସବ୍‌ସିଡି କମାଇବା ପାଇଁ ଚାପ ପକାଉଛି। ୨୦୦୬ରେ ବିଶ୍ବ ବ୍ୟାପାର ସ˚ଗଠନର ସମ୍ମିଳନୀରେ ଭାରତ ସମସ୍ତ ପ୍ରଗତିଶୀଳ ଦେଶଙ୍କ ନେତୃତ୍ବ ନେଇ ଆମେରିକାର ସବ୍‌ସିଡି ସମ୍ବନ୍ଧୀୟ ନୀତିର ବିରୋଧ କରିଥିଲା।

ସେତେବେଳେ ନିଜେ ଉପସ୍ଥାପନ କରିଥିବା କଥା ଉପରୁ ଯଦି ଏବେ ଭାରତ ହଟିଯାଇ ଆମେରିକାର କୃଷି ଉତ୍ପାଦ ଉପରେ ଆମଦାନି ଶୁଳ୍‌କ କମ୍‌ କରେ, ତେବେ, ଦେଶର କୃଷକକୁ କଠୋର ଆଘାତ ଲାଗିବା ସ୍ବାଭାବିକ। ତା’ ସହ ଅନ୍ୟ ବିକାଶଶୀଳ ଦେଶଙ୍କ ମଧୢରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ ହେବ।

ଗୋଟେ ପଟେ କେନ୍ଦ୍ର ସରକାର ୨୦୨୨ ବେଳକୁ କୃଷକର ଆୟ ଦୁଇ ଗୁଣ କରିବା କଥା କହୁଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ସହିତ ଏ ସମ୍ବନ୍ଧୀୟ କୌଣସି ଚୁକ୍ତି କୃଷି ପ୍ରଧାନ ଭାରତର କୋଟି କୋଟି କୃଷକଙ୍କ ହିତ ରକ୍ଷା କରିବାରେ ବିଫଳ ହେବ। ଯଦି ବି ଆମେରିକା ପକ୍ଷରୁ ଆଗ୍ରହ ପ୍ରକାଶ ପାଏ, କେନ୍ଦ୍ର ସରକାର କଦାପି ଏହିଭଳି ଚୁକ୍ତିରେ ସ୍ବାକ୍ଷର କରିବେ ନାହିଁ ବୋଲି ଆଶା।

କିଷାନ ମଜଦୁର ମହାସ˚ଘ
ମୋ-୯୯୩୭୪୪୦୨୨୦





Source link

Latest Govt Job & Exam Updates:

View Full List ...