ମନ ଗହନର କଥା | Sambad sambad.in

sambad.in

ଆମ ଗାଁର ଯଦୁଆ ମା’ ବୁଢ଼ୀ ମଲା ଯାଏଁ ‘ଛୋଟ ଗଉଣୀ, ବଡ଼ ଗଉଣୀ’ ଗୁଣି ହେଉଥିଲା। ସେ କୁଆଡ଼େ ଜୀବନ ସାରା ସବୁବେଳେ ବଡ଼ ଗଉଣୀରେ ଧାନ, ମୁଗ କିଣୁଥିଲା ଆଉ ଛୋଟ ଗଉଣୀରେ ବିକୁଥିଲା। ଆମ ଗାଁର ବୁଦ୍ଧିଆ ଲୋକେ କହୁଥିଲେ ଯଦୁଆ ମା’ର ମନରେ ଗଣ୍ଠି ପଡ଼ିଯାଇଛି। ସେଥିଲାଗି ସେ ବାରମ୍ବାର ସେଇ କଥା ଗୁଣି ହେଉଛି। କେତେ ପ୍ରକାର ମନର ଗଣ୍ଠି ଅଛି। ଆମେମାନେ ଯଦୁଆ ମା’ ଭଳି ଗୁଣି ହେଉ ନ ଥିଲେ ବି ଆମମାନଙ୍କ ମନରେ ଯେ ଅଜସ୍ର ଗଣ୍ଠି ଏହା ଟିକିଏ ସୂକ୍ଷ୍ମ ଭାବେ ସ୍ଥିର ହୋଇ ବିଚାର କଲେ ଜାଣିପାରିବା।

ବଡ଼ ହେଲା ପରେ ପାଠ ବହିରୁ ଆମେ ଜାଣିଲୁ ଯେ ମନଟା ଏକ ଗହନ ବ୍ୟାପାର! ମନୋବିଜ୍ଞାନୀ କହନ୍ତି ମନର ତିନିଟି ସ୍ତର। ଅଚେତନ, ଚେତନ ଓ ଅବଚେତନ। ଉଦାହରଣ ସ୍ବରୂପ ସଦ୍ୟ ଜାତ ଶିଶୁ ଯେଉଁଠି ଇଚ୍ଛା ସେଇଠି ପରିସ୍ରା କରିପକାଏ। କାରଣ ସେ ବୟସରେ ତାର ସଚେତନ ମନ ଜାଗ୍ରତ ହୋଇ ନ ଥାଏ। ସେହି ଶିଶୁ ବଡ଼ ହେବା ପରେ ତାର ସଚେତନ ମନ ଯେତେବେଳେ ରୂପ ପାଏ, ସେ ଅନେକ କଥା ଚିନ୍ତା କରି କାର୍ଯ୍ୟ କରେ। ତେବେ ଚେତନ ମନ ତଳେ ଯେଉଁ ଅନ୍ଧକାର ସ୍ତରଟି ଥାଏ ତାହା ଅବଚେତନ ମନ। ଏଠାରେ ମଣିଷର ସମସ୍ତ କାର୍ଯ୍ୟର ଛାପ ଜମାଟ ବାନ୍ଧି ରହେ। ସେଥିଲାଗି ତ ଆମେ ହଠାତ୍ ମନେ ପକାଇପାରୁ ଯେ ଆମେ କେମିତି ପ୍ରଥମେ ସାଇକେଲ ଚଢ଼ା ଶିଖିଥିଲୁ ବା ସେହିଭଳି ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ କାମ କରିଥିଲୁ। ଏଭଳି ଏକ ଜଟିଳତା ଦ୍ବାରା ଭରା ମନରେ ସେଥିଲାଗି ବେଳେ ବେଳେ ବିକୃତି ଦେଖାଦିଏ। ମନରେ ଗଣ୍ଠି ପଡ଼ିଯିବା ସେହିଭଳି ଏକ ବହୁ ପରିଲକ୍ଷିତ ମୃଦୁ ବିକୃତି ବୋଲି କହିଲେ ଚଳେ।

ଏଥିରୁ ମୁକ୍ତି ପାଇବା ଲାଗି ମନକୁ ଶାନ୍ତ ବା ସ୍ଥିର ରଖିବା ଦରକାର ବୋଲି ମନୋଚିକିତ୍ସକଙ୍କ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ ଗୁରୁମାନେ କହନ୍ତି। ଅନେକ କହନ୍ତି ସେଥି ଲାଗି ‘ଧ୍ୟାନ’ କର। ଏହା ମଧ୍ୟ ସତ। ଏକାଗ୍ରତାର ସହିତ ଚିନ୍ତା କରିବା ହେଉଛି ଧ୍ୟାନ। ଏଣୁତେଣୁ ବହୁତ କଥା ଚିନ୍ତା କଲେ ମନଟା ଜମିଥିବା ପାଣି ଭିତର ଦେଇ ଶଗଡ଼ ଚାଲିଗଲା ପରେ ତାହା ଗୋଳିଆ ହୋଇଗଲା ପରି ହୋଇଯାଏ। କିଛି ସମୟ ସେହି ପାଣି ସ୍ଥିର ହୋଇଗଲେ ପୁଣି ସ୍ବଚ୍ଛ ହୋଇଯାଏ। କାରଣ ମଇଳା ତଳେ ବସିଯାଏ। ଧ୍ୟାନ ତାହା ହିଁ କରେ। ଏହା ଗୋଳିଆ ମନକୁ ସ୍ଥିର କରି ଶାନ୍ତ ଓ ସ୍ବଚ୍ଛ କରିଦିଏ।

ଆମେମାନେ ଦେଖୁ ଅନେକ ଲୋକ ଦିନରେ ଏକାଧିକ ବାର ପ୍ରାର୍ଥନା କରନ୍ତି। ସେମାନଙ୍କୁ ପଚାରିଲେ ଉତ୍ତର ମିଳେ ଯେ ସ୍ଥିର ଚିତ୍ତରେ ପ୍ରାର୍ଥନା କଲେ ମନ ଶାନ୍ତ ହୁଏ। ବୈଜ୍ଞାନିକ ପରୀକ୍ଷାରୁ ଜଣାପଡ଼ିଛି ଯେ ପ୍ରାର୍ଥନା ମସ୍ତିଷ୍କକୁ ବିଶ୍ରାମ ଦିଏ। କମ୍ପ୍ୟୁଟରରେ କାମ କରିବା ସମୟରେ ଯେପରି ବେଳେବେଳେ ତାକୁ ବିଶ୍ରାମ ଦେବାକୁ ପଡ଼ିଥାଏ, ସେହି ଭଳି କଥା। ତେଣୁ ମନକୁ ଗଣ୍ଠି ମୁକ୍ତ କରିବାକୁ ହେଲେ ପ୍ରାର୍ଥନା ମଧ୍ୟ ଏକ ସରଳ ଉପାୟ।

ମନକୁ ଗଣ୍ଠି ମୁକ୍ତ କରିବା ସହଜ କଥା ନୁହେଁ। ଆମେମାନେ ସଦାବେଳେ କହୁ ମୋ ମନ କହିଲା ବୋଲି ମୁଁ ଏ କାମଟି କଲି। କିନ୍ତୁ ଟିକିଏ ଗହୀରେଇ ଭାବିଲେ ଜଣାପଡ଼େ ଯେ ମନଟି ପ୍ରକୃତରେ ମୋର ବୋଲକରା ନୁହେଁ, ମୁଁ ହେଉଛି ମନର ବୋଲକରା। ମନର ଆଜ୍ଞାରେ ମୁଁ କାମଟି କରିଛି। ମୋ ଆଜ୍ଞାରେ ମନ ନାହିଁ। ତେଣୁ ଆମ ଅଧିକାଂଶଙ୍କ ଠାରେ ମନ ହିଁ ଆମର ମାଲିକ। କିନ୍ତୁ ଆମେ ଭାବୁ ଯେ ଆମେ ମନର ମାଲିକ। ତେବେ ମନର ମାଲିକ ହେବା ବି କିଛି ସହଜ କଥା ନୁହେଁ। ବଣୁଆ ଉଦ୍‌ବାର୍ଯ୍ୟ ଘୋଡ଼ାକୁ ମଣ କରିବା‌ ଯାହା ମନକୁ ମଣ କରିବା ତାହା। କିନ୍ତୁ ଯେଉଁମାନେ ମନକୁ ମଣ କରିପାରିଛନ୍ତି ସେମାନେ ଦେଖାଇ ଦେଇଯାଇଛନ୍ତି ଯେ ଏହା କଷ୍ଟକର ‌ହୋଇପାରେ, କିନ୍ତୁ ଅସମ୍ଭବ ନୁହେଁ। ମନକୁ ଗଣ୍ଠି ମୁକ୍ତକରି ତାକୁ ଆମ ଅଜ୍ଞାରେ ଚଳାଇବା ସମ୍ଭବ। ତେଣୁ ଉଦ୍ୟମ ନ କରିବା କାହିଁକି?

ସିଷ୍ଟମ ଆଡ଼୍‌ମିନ୍‌,
ଜୀବନ ବୀମା କାର୍ଯ୍ୟାଳୟ, ଯାଜପୁର
ମୋ – ୯୭୭୭୭୪୯୭୨୭





Source link

Latest Govt Job & Exam Updates:

View Full List ...