Odia Sabitri Puja and Osha Tradition of Odisha (ସାବିତ୍ରୀ ବ୍ରତ)

                 ସାବିତ୍ରୀ ବ୍ରତ
ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ।।

ଜଗତ ହିତେ ଦେହଧରି । ଧରାରେ ଧର୍ମ ରକ୍ଷାକରି ।।

ସକଳ ବ୍ରତର କାରଣ । ଶ୍ରୀ କୃଷ୍ଣ ସ୍ୱୟଂ ଭଗବାନ ।।

କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ । ପଚାରିଲେ ସଖା ଆପଣେ ।।

କୁହ ହେ ଜଗତ ଗୋସାଇଁ । ଜଗତ ହିତେ ଦୟାବହି ।।

କି ବ୍ରତ କଲେ ନାରୀମାନେ । ହୋଇବେ ସୁଖୀ ସବୁଦିନେ ।।

ଶଙ୍ଖା ସିନ୍ଦୁର ବଜ୍ର ହେବ । କୋଳରେ ଶିଶୁ ଖେଳୁଥିବ ।।

ସୌଭାଗ୍ୟବତୀ ଧନବତୀ । ହେବେ ସେ ପତିବ୍ରତା ସତୀ ।।

ବୈଧବ୍ୟ ଦଶା ନ ଭୋଗିବେ । ମରଣେ ସ୍ୱର୍ଗପ୍ରାପ୍ତ ହେବେ ।।

ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି ।।

ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟେ ସାର ।।

ସାବିତ୍ରୀ ବ୍ରତ ଅଟେ ସେହି । ସେକଥା ଶୁଣ ମନଦେଇ ।।

ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ । ଅମାବାସ୍ୟାକୁ କର ଲକ୍ଷ୍ୟ ।।

ସାବିତ୍ରୀ ଉଆଁସଟି ସେହି । ସେଦିନ ଏ ବ୍ରତ ହୁଅଇ ।।

ବ୍ରତର ଫଳ ସ୍ୱରୂପରେ । ଯେ ସୁଖ ମିଳନ ମର୍ତ୍ତ୍ୟରେ ।।

ତାହାର ନାହିଁ ପଟାନ୍ତର । ହେ ଶୁଣ ପାଣ୍ଡବ ସତ୍ୱର ।।

ଏକଥା ଯୁଧିଷ୍ଠିର ଶୁଣି । କୃଷ୍ଣଙ୍କୁ ପଚାରିଲେ ପୁଣି ।।

ଏ ବ୍ରତ କେବେ କେଉଁନାରୀ । କି ଫଳ ପାଇଲେ ଆଚରି ।।

ଏକଥା ଶୁଣି ବେଣୁପାଣି । କହିଲେ ଅତୀତ କାହାଣୀ ।।

ମଦ୍ରଦେଶର ନରପତି । ତାହାଙ୍କ ନାମ ଅଶ୍ୱପତି ।।

କୌଶଲ୍ୟା ରାଣୀଙ୍କର ନାମ । ଧନଧାନ୍ୟରେ ରାଜ୍ୟପୂର୍ଣ୍ଣ ।।

ପ୍ରଜାବତ୍ସଳ ଅଶ୍ୱପତି । ନ୍ୟାୟରେ ରାଇଜ ପାଳନ୍ତି ।।

ରାଜାରାଣୀଙ୍କର ବଡ଼ ଚିନ୍ତା । ନଥାଏ ପୁତ୍ର କି ଦୁହିତା ।।

କୋଳରେ ନଥିଲେ ସନ୍ତାନ । ପୂର୍ଣ୍ଣତା ନଲଭେ ଜୀବନ ।।

ରାଜାରାଣୀ ଯେ ଦୁଃଖେ ଥିଲୋ । ଏଥକୁ ଉପାୟ ଚିନ୍ତିଲେ ।।

ସାଧୁ ପଣ୍ଡିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆଚରିଲେ ।।

ଅଠର ବର୍ଷ ଅବିରତ । ଚାଲିଲା ହୋମାହତି ମନ୍ତ୍ର ।।

ପୂର୍ଣ୍ଣାହୁତିର ପୂର୍ବାନିଶି । ସପନେ ରାଣୀହେଲେ ଖୁସି ।।

ସୁନ୍ଦରୀ ଝିଅଟିଏ କେହି । ମା’ ମା’ ବୋଲି ଡାକଦେଇ ।।

ରାଣୀଙ୍କ କୋଳେ ଖେଳୁଥିଲା । ସପନ ଶେଷେ ଚାଲିଗଲା ।।

ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ ।।

ଭଉୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣହୁତି ପାଇ ।।

ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ ।।

ଅପୂର୍ବ ଜ୍ୟୋତିର୍ମୟା ଦେବୀ । ତେଜରେ କମ୍ପିଲା ପୃଥିବୀ ।।

କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ ।।

ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ ।।

ନର୍ଦ୍ଦେଶ ଦେଲେ ମୋତେସ୍ରଷ୍ଟା । ଧନ୍ୟ ତୁମର ଭକ୍ତିନିଷ୍ଠା ।।

ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ ।।

ଲଭିବ ତୁମେ କନ୍ୟାରତ୍ନ । ପୁତରକୁ ନ କରିଣ ମନ ।।

ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକା ଦେବଭରି ।।

ଚକିତେ ପୂର୍ଣ୍ଣାହୁତି ସାରି । ଯେ ଯାହାଗୃହେ ଗଲେ ଚଳି ।।

ସପନ ଦେଖିଲେ ଯେ ରାଣୀ । ସେ ଥିଲା ସପନ କାହାଣୀ ।।

ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା ।।

ଯାଇଛି ଅଳ୍ପଦିନ ବିତି । ରାଣୀ ହୋଇଲେ ଗର୍ଭବତୀ ।।

ରାଜାଙ୍କୁ ଚାହିଁଦେଲେ ହସି । ପ୍ରୀତିର ଅମୃତ ବରଷି ।।

ଆସିଲା ମନେ ଆଶାକଲି । ମରୁରେ ମାରିଲା ବିଜୁଳି ।।

ଉଚିତ୍‌ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ ।।

ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କୋଳେ ନେଲା ଜନ୍ମ ।।

ସାବିତ୍ରୀ ଯଜ୍ଞ ପୁଣ୍ୟଫଳେ । ସେ କନ୍ୟା ଜନମିଲା କୋଳେ ।।

ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ ।।

ଶୁକ୍ଳ ପକ୍ଷର ଶଶୀପରି । ବଢିଲା ସାବିତ୍ରୀ କୁମାରୀ ।।

ଛୁଇଁଲା ଯେବେ ଯଉବନ । ପିତା ମାତା ଯେ ଚିନ୍ତାମଗ୍ନ ।।

ନିଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ୱୟମ୍ୱର ।।

ଆସିଲେ ଯେତେ ଯୁବରାଜ । ବାହୁଡ଼ିଗଲେ ପାଇ ଲାଜ ।।

ସାବିତ୍ରୀଙ୍କ ତେଜ ଜ୍ୟୋତି । ମନରେ ତାଙ୍କ ହେଲା ଭୀତି ।।

ନିଜକୁ ଅଯୋଗ୍ୟ ବିଚାରି । ଯେ ଯାହା ବାଟେ ଗଲେ ଫେରି ।।

ସ୍ୱୟମ୍ବର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା ।।

ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ ।।

ଦିନେ ମାଣ୍ଡବ୍ୟ ୠଷିବର । ପ୍ରବେଶି ରାଜାଙ୍କ ନଅର ।।

କୁଶଳ ବାର୍ତ୍ତା ପଚାରିଲେ । ସକଳ ବିଷୟ ଶୁଣିଲେ ।।

ଉପାୟ ଏ ଭାବିଚିନ୍ତି । କହିଲେ ଶୁଣ ଅଶ୍ୱପତି ।।

ନିଜର ସ୍ୱାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ ।।

ଦିଅ ବିହିତ ଅନୁମତି । ସାବିତ୍ରୀ ଖୋଜୁ ନିଜ ପତି ।।

ରାଜା ଯେ ଅନୁମତି ଦେଲେ । ବିହିତ ଆୟୋଜନ କଲେ ।।

ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ ।।

ଭ୍ରମି ନଗର ଗିରିବନ । ଦେଖିଲେ ରମ୍ୟ ତପୋବନ ।।

ସେ ତପୋବନ ଆଶ୍ରମରେ । ୠଷି ତପସ୍ୱୀ ଗହଣରେ ।।

ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପବହି ।।

ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ ।।

ଦେଖି ସେ ଯୁବକ ମଣିକୁ । ପ୍ରୀତି ଛୁଇଁଲା ସାବିତ୍ରୀକୁ ।।

ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ ।।

ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ ।।

ଏକାଳେ କରି ବୀଣାବାଦ୍ୟ । ପ୍ରବେଶ ହୋଇଲେ ନାରଦ ।।

ତାହାଙ୍କ ପାଦେ ଢାଳି ମତି । ନମିଲେ ରାଜା ଅଶ୍ୱପତି ।।

ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ ।।

କହିଲେ ଶୁଣ ଅଶ୍ୱପତି । ଉଚିତ ନୁହେଁ ତୁମ୍ଭ ନୀତି ।।

ଏହି ଯେ ବିଧିର ବିଧାନ । ଦେବାକୁ ହେବ କନ୍ୟାଦାନ ।।

ତୁରନ୍ତ ଦାନ ମହାପୁଣ୍ୟ । ହୁଅ ହେ ରାଜା ସାବଧାନ ।।

କହିଲେ ରାଜା ଯୋଡ଼ି ହାତ । ମୁନିଙ୍କୁ ସକଳ ବୃତ୍ତାନ୍ତ ।।

ସାବିତ୍ରୀ ହୋଇ ଳଜ୍ଜାନତ । ଜଣାଇ ଦେଲେ ନିଜ ମତ ।।

ନିମିଷ ମାତ୍ର ହୋଇ ସ୍ଥିର । ବିବ୍ରତ ହେଲେ ମୁନିବର ।।

କହିଲେ ପତି ନାହିଁ ବରି । ନିଜ ଦୁର୍ଭାଗ୍ୟ ଅଛୁ ବରି ।।

ଏବେ ବି ଅଛି ପ୍ରତିକାର । ସେକଥା ମନୁ କରୁଦୂର ।।

ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ୱାମୀ ଯମପୁରେ ।।

ନିଶ୍ଚୟ ବିଧବା ହୋଇବ । ଏ ମୁନିବାକ୍ୟ ସତ୍ୟହେବ ।।

ଶୁଣି ଚଳିଲେ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି ।।

ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ ।।

କିଏ ଯେ ଅଟେ ସେ ଯୁବକ । କି ପ୍ରତିକାର ଯିବ ଦୁଃଖ ।।

ନାରଦ କହିଲେ ବୁଝାଇ । ଶୁଣ ହେ ରାଜା ମନଦେଇ ।।

ଶାଲ୍ୱ ଦେଶର ରାଜା ସେହି । ଦ୍ୟୁମତସେନ ନାମ ବହି ।।

ରାଣୀଙ୍କ ନାମ ମାଳବିକା । କରମ ବାମ ଭାଗ୍ୟ ବଙ୍କା ।।

ସେ ରାଜା ଚକ୍ଷୁ ହରାଇଲେ । ରାଜ୍ୟକୁ ବିତାଡ଼ିତ ହେଲେ ।।

ପୁତ୍ରର ନାମ ସତ୍ୟବାନ । କେ ବୋଲେ ପୁଣି ଚିତ୍ରସେନ ।।

ସର୍ବ ଲକ୍ଷଣେ ସୁପୁରୁଷ । ମାତ୍ର ଯେ ତା’ର ଅଳ୍ପାୟୁଷ ।।

ଆଜିଠୁ ମାତ୍ର ଏକବର୍ଷ । ରହିଛି ତାହାର ଆୟୁଷ ।।

ଆୟୁଷ ଯେବେ ଯିବ ପୁରି । କିହେବ ପ୍ରତିକାର କରି ।।

ଶୁଣ ହେ ରାଜା ଅଶ୍ୱପତି । ତାହାକୁ ବରିଛି ସାବିତ୍ରୀ ।।

ରାଜାଙ୍କ ମଥା ଗଲା ଘୁରି । ଝିଅକୁ କହିଲେ ସେ ଧରି ।।

ଜାଣୁ ଜାଣୁ ମୁଁ ତୋ ସିନ୍ଦୁର । ସିନ୍ଧାନ୍ତ କର ଅନ୍ୟବର ।।

ଏଥିକୁ କର ପ୍ରତିକାର । ସିଦ୍ଧାନ୍ତ କର ଅନ୍ୟବର ।।

ନାରଦ ମୁନିଙ୍କୁ ସାବିତ୍ରୀ । କହିଲେ ଶୁଣ ମୋ ନିଷ୍ପତ୍ତି ।।

ମନରେ ଯାହାଙ୍କୁ ବରିଛି । ତାଙ୍କୁ ମୁଁ ସ୍ୱାମୀ ବିଚାରିଛି ।।

ମାତ୍ରକ ଅଛି ଲୋକାଚାର । ମୁଁ ହେବି କନ୍ୟା ସିଏ ବର ।।

ଅନ୍ୟ ପୁରୁଷେ ମନ ଦେଲେ । ଦୋଚାରୁଣୀ ମୁଁ ହେବି ଭଲେ ।।

ବିଧବା ପଛେ ହେବି ମୁହିଁ । ଅସତୀ କେବେ ହେବିନାହିଁ ।।

ସାବିତ୍ରୀ ବାକ୍ୟ ଶୁଣି ଯତି । ହୋଇଲେ ଆନନ୍ଦିତ ଅତି ।।

କହିଲେ ହୁଅ ମହାସତୀ । ଜଗତେ ରହୁ ସତୀ ଖ୍ୟାତି ।।

ଶୁଣ ହେ ରାଜା ଅଶ୍ୱପତି । ଅନ୍ୟରେ ନ ବଳାଅ ମତି ।।

ସାବିତ୍ରୀ ସଙ୍ଗେ ସତ୍ୟବାନ । କର ବିବାହ ଆୟୋଜନ ।।

ସର୍ବକୁଶଳେ ଥାଅ ରହି । ନାରଦ ଗଲେ ଦୂର ହୋଇ ।।

ଶୁଭ ଲଗ୍ନରେ ଆନନ୍ଦରେ । ସତ୍ୟବାନଙ୍କ ସଙ୍ଗତରେ ।।

ସାବିତ୍ରୀଙ୍କର ହସ୍ତଗଣ୍ଠି । ପଡ଼ିଲା ଧର୍ମ ସାକ୍ଷୀ ରଖି ।।

ବିତାଇ ତହିଁ କେତେ ଦିନ । ସାବିତ୍ରୀ ସଙ୍ଗେ ସତ୍ୟବାନ ।।

ଗୁରୁଜନଙ୍କୁ ପ୍ରଣମିଲେ । ବନ ପଥରେ ଚଳିଗଲେ ।।

ଶାଶୁ ଶ୍ୱଶୁର ସେବା କରି । ସ୍ୱାମୀ ସଙ୍ଗତେ ସୁକୁମାରୀ ।।

ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ ।।

ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା ।।

ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖିଥିଲେ ।।

ରହିଲା ଆଉ ଚାରିଦିନ । ମୃତ୍ୟୁ ଲଭିବେ ସତ୍ୟବାନ ।।

ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା ।।

ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ ।।

ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ ।।

ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନାରାୟଣ ।।

ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି ।।

ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ ।।

ସପରିବାରେ ଭୁଞ୍ଜାଇଲେ । ନିଜେ ସେ ଉପବାସେ କଲେ ।।

ତୁଣ୍ଡେ ଉଚ୍ଚାରି ପ୍ରଭୁନାମ । ଦେଲେ ବିତାଇ ତିନିଦିନ ।।

ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା ।।

କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ ।।

ସଂଗ୍ରହ କଲେ କାଠଭାର । ଚଳିବ ସିନା ଏ ସଂସାର ।।

କହିଲେ ସାବିତ୍ରୀ ବୁଝାଇ । ଏକାକୀ ଆଜି ଯାଅ ନାହିଁ ।।

ଆଦେଶ କର ଏ ଦାସୀରେ । ଯିବାକୁ ତୁମ ସଙ୍ଗତରେ ।।

ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ ।।

ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶକ୍ତି ନାହିଁ ।।

କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ ।।

ଶରୀର ମଧ୍ୟେ ଶକ୍ତି ଥାଏ । ଛାଇ ତା ସାଥେ ସାଥେ ଯାଏ ।।

ନୀରବ ହେଲେ ସତ୍ୟବାନ । ମଉନେ ସମ୍ମତି ଲକ୍ଷଣ ।।

ଶାଶୁ ଶ୍ୱଶୁର ଆଜ୍ଞା ନେଇ । ସାବିତ୍ରୀ ଗଲେ ସାଥି ହୋଇ ।।

ଘୋର ବନରେ ସତ୍ୟବାନ । କରିଲେ ବୃକ୍ଷ ଆରୋହଣ ।।

କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ ।।

କହିଲେ ଶୁଣ ପ୍ରାଣସହି । ମଥା ମୋ ବେଉଛି ଘୂରାଇ ।।

ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର ।।

ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ ।।

ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି ।।

ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି ।।

ହେବ କି ମୁନିବାକ୍ୟ ସତ । ହେବ କି ଶୂନ୍ୟ ଏ ସୀମନ୍ତ ।।

ଏକାଳେ ପୁଣି ସତ୍ୟବାନ । ନୀରବେ ମୁଦିଲେ ନୟନ ।।

ଡାକିଲେ ନଦେଲେ ଉତ୍ତର । ନାହିଁ ଲକ୍ଷଣ ଜୀବନର ।।

ସାବିତ୍ରୀ କରିଲେ ରୋଦନ । କମ୍ପିଲା ବିଜନ କାନନ ।।

ସ୍ୱାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି ।।

ଏକାଳେ ବେଦ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ ।।

ଚକିତେ ସାବିତ୍ରୀ ଚାହିଁଲେ । କିଏ ସେ ବୋଲି ପଚାରିଲେ ।।

କହିଲେ ଜ୍ୟୋତିର୍ମୟ ମୂର୍ତ୍ତି । ମୁଁ ଅଟେ ନିଜେ ଜନ୍ତୁପତି ।।

ଯମ ମୁଁ ମୃତ୍ୟୁର ଦେବତା । ଅସହ୍ୟ ମୋର ନିଷ୍ଠୁରତା ।।

ପଠାଇ ମୋର ଦୂତଗଣ । ନିଏ ମୁଁ ତାକୁ ତତକ୍ଷଣ ।।

ଯେହେତୁ ତୁମେ ମହାସତୀ । କୋଳେ ଧରିଛ ମୃତ ପତି ।।

ତୁମକୁ ଡରି ଦୂତ ମୋର । ବାହୁଡ଼ିଗଲେ ମୋର ପୁର ।।

ସତ୍ୟବାନ୍‌ର ପ୍ରାଣ ପାଇଁ । ଆସିଛି ଏବେ ନିଜେ ମୁହିଁ ।।

ଆୟୁଷ ତାର ହେଲା ଶେଷ । ନେବାରେ ମୋର ନାହିଁଦୋଷ ।।

ସାବିତ୍ରୀ କରିଲେ ମିନତୀ । ଦୟାକର ହେ ଜନ୍ତୁପତି ।।

ସ୍ୱାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହାକୁ ମୁଖ ଚାହିଁ ।।

ଯମ କହିଲେ ଶୁଣ ସତୀ । ଜନ୍ମ ଥିଲେ ତ ମୃତ୍ୟୁ ଅଛି ।।

ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନ ଜାଣଇ ।।

ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ ।।

ଫେରି ଚାହିଁଲେ ଖଣ୍ଡେ ଦୂରେ । ସାବିତ୍ରୀ ଆସନ୍ତି ପଛରେ ।।

ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ ।।

ସାବିତ୍ରୀ କହିଲେ ଗୋସାଇଁ । ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ ।।

ସତୀ ନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା ।।

ତୁମେ ତ ନିଜେ ଧର୍ମରାଜ । ଏତିକି କଥା ମନେ ହେଜ ।।

ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି ।।

ସତ୍ୟବାନର ପ୍ରାଣବିନା । ଯେ ବର ମାଗ ହେବ ଘେନା ।।

ସାବିତ୍ରୀ ମାଗିନେଲେ ବର । ଅନ୍ଧ ଅଟନ୍ତି ମୋ ଶ୍ୱଶୁର ।।

ଲଭନ୍ତୁ ଦୃଷ୍ଟିଶକ୍ତି ସେହି । ମାଗୁଛି ଏହି ବର ମୁହିଁ ।।

ତଥାସ୍ତୁ କହି ଯମ ଧୀରେ । ଚଳିଲେ ମଇଁଷି ପିଠିରେ ।।

ଦେଖିଲେ କିଛିଟବାଟ ଯାଇ । ସାବିତ୍ରୀ ପିଛା ଛାଡୁନାହିଁ ।।

କହିଲେ ଯମ ଦେଲି ବର । ପୁଣି କିମ୍ପାଇଁ ପିଛା କର ।।

ସାବିତ୍ରୀ କହିଲେ ଗୋସାଇଁ । କି ପୁଣ୍ୟ କରିଥିଲି ମୁହିଁ ।।

ଦେଖିଲି ତୁମକୁ ନୟନେ । ଧନ୍ୟ ହୋଇଲି ଏ ଜବୀନେ ।।

ତୁମକୁ ଛାଡ଼ି ଯିବା ପାଇଁ । ମନ ତ ମୋର ବଳୁ ନାହିଁ ।।

ସେ ପାଇଁ ଚାଲିଛି ମୁଁ ପଛେ । ଦୋଷ ଦେଉଛ କିମ୍ପା ମିଛେ ।।

ଶୁଣି ଆନନ୍ଦେ ଯମଦେବ । କହିଲେ ଆନବର ମାଗ ।।

ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା ।।

ସାବିତ୍ରୀ କହିଲେ ହେ ଦେବ । ଶ୍ୱଶୁରେ ହେଉ ରାଜ୍ୟ ଲାଭ ।।

ତଥାସ୍ତୁ କହି ଯମ ଗଲେ । ସାବିତ୍ରୀ ପୁଣି ପିଛା କଲେ ।।

ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ ।।

ଦେଲି ତୁମକୁ ବେନି ବର । କାହିଁକି ପୁଣି ପିଛା କର ।।

ବିନୟେ କହିଲେ ସାବିତ୍ରୀ । ତୁମେ ଯେ ନ୍ୟାୟବନ୍ତ ଅତି ।।

ନ୍ୟାୟ ତ ଦେଲନାହିଁ ମୋତେ । ତୁମ୍ଭଙ୍କୁ ଛାଡ଼ିବି କେମନ୍ତେ ।।

ଶ୍ୱଶୁର ସିନା ହେବେ ସୁଖୀ । ପିତା ଯେ ମୋର ବଡ଼ ଦୁଃଖୀ ।।

ଦୁହିତା ଦୁଇକୁଳେ ହିତା । ସେ ପାଇଁ ମୋର ବଡ଼ ଚନ୍ତା ।।

ତାଙ୍କ ଔରସୁ ଶତପୁତ୍ର । ଜନ୍ମ ରଖନ୍ତୁ ବଂଶ ଗୋତ୍ର ।।

ମାଗୁଛି ଏହି ବର ମୁହିଁ । ବିଚାର ନ୍ୟାୟ ଧର୍ମ ଚାହିଁ ।।

ପିତା ଶ୍ୱଶୁର ଦୁହେଁ ଏକା । ମାଗୁଛି ତେଣୁ ଏହି ଭିକ୍ଷା ।।

ତଥାସ୍ତୁ କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ ।।

ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ ।।

ପଛକୁ ଚାହିଁ ଯମରାଜା । କହିଲେ ଏବେ ଯା’ ଫେରିଯା ।।

ସତୀତ୍ୱ ବଳେ ଏତେ ପଥ । ଆସିଲ ତୁମ୍ଭେ ଏହା ସତ୍ୟ ।।

ଏପାରି ଶେଷ ସୀମା ଏହି । ତୁମେ ତ ହେଲ ନରଦେହୀ ।।

ସେପାରି ସୀମା ଛୁଇଁବାକୁ । କେହି ଯେ ନ ଦେବେ ତୁମକୁ ।।

ଏଠାରୁ ହେବି ଅନ୍ତର୍ଦ୍ଧାନ । ସେପାରି ଅଟେ ମହାଶୂନ୍ୟ ।।

ପାଇବ ନାହିଁ ଆଉ ମୋତେ । ଫେରିଯା ସତୀ ନିଜ ପଥେ ।।

ସାବିତ୍ରୀ କହିଲେ ଠାକୁରେ । କି ଲାଭ ଏହି ଜୀବନରେ ।।

ବୁଝେନା ଏପାରି ସେପାରି । କହିଁକି ଅବା ଯିବି ଫେରି ।।

ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ । ଦିଅ ହେ ଜାଳି ତୁମ ତେଜେ ।।

ନହେଲେ ହୋଇବ ପ୍ରଘଟ । ଆଣିଲ ତୁମେ ଏତେ ବାଟ ।।

ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲ କଢାଇ ।।

ଅବଳା ପ୍ରତି ଅବିଚାର । ନୁହେଁ ତ ଉଚିତ ବେଭାର ।।

ଶୁଣି ବିଚାର କଲେ ଯମ । ଏକଥା ହେଲାଣି ବିଷମ ।।

କହିଲେ ଶୁଣ ନାରୀବର । ଚତୁର୍ଥ ବର ମାଗିପାର ।।

ସତ୍ୟବାନର ପ୍ରାଣ ବିନା । ଯାହା ମାଗିବ ହେବ ଘେନା ।।

ଆଉ ମୁଁ କିଛି ନ ଶୁଣିବି । ତୁରନ୍ତ ମାଗ ଚାଲିଯିବି ।।

ଯମ ଯେ ହେଲେ ତରବର । ସାବିତ୍ରୀ ମାଗିଦେଲେ ବର ।।

ସ୍ୱାମୀଙ୍କର ଔରସରୁ ମୋର । ହୁଅନ୍ତୁ ଶହେଟି କୁମର ।।

ତଥାସ୍ତୁ ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ ।।

ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖି ।।

କ୍ରୋଧରେ କହିଲେ ବଚନ । ସରିଛି ମୋର ବରଦାନ ।।

ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜନ ନାହିଁ ।।

କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର ।।

ମୋ କଥା କରିଲେ ଅମାନ୍ୟ । ଭୋଗିବ ତା’ର ପରିଣାମ ।।

ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣଟିକେଭଲେ ।।

ତୁମେ ଯେ ସଞ୍ଜମୀ ପୁରୁଷ । ଶୋଭେନା ତୁମଠାରେ ରୋଷ ।।

ନିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି ।।

ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଜିବ ତେବେ ।।

ସ୍ୱାମୀଙ୍କ ଔରସରୁ ମୋର । ଜନ୍ମନେବେ ଶହେ କୁମର ।।

ଏ ବର ତୁମେ ତ ଦେଇଛ । ସ୍ୱାମୀଙ୍କ ପ୍ରାଣ ନେଉଅଛ ।।

ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି ।।

ବରିକି କିବା ଆନପତି । ଉତ୍ତର ଦିଅ ଜନ୍ତୁପତି ।।

ଯମ ଯେ ହୋଇଲେ ଚକିତ । କେମିତି ହାରିବେ ଯେ ସତ୍ୟ ।।

ସେହି ସତ୍ୟର ରକ୍ଷା ପାଇଁ । ଯମ ଯେ ନିରୁପାୟ ହୋଇ ।।

କହିଲେ ସାବିତ୍ରୀଙ୍କୁ ଚାହିଁ । ତୁମର ଜୟ ଅଛି ହୋଇ ।।

ତୁମର ସତୀତ୍ୱ ବଳରେ । ଜିତିଲ ଏ ମହୀ ତଳରେ ।।

ବିଷ୍ଣୁ ଯେମିତି ମାୟାବଳେ । ମୋହିତ କରନ୍ତି ସକଳେ ।।

ସେମିତି ସତୀତ୍ୱ ମାୟାରେ । ମୋହିତ ହେଲି ତୁମଠାରେ ।।

ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେତ ମାଗିନେଲ ଜାଣ ।।

ମୁଁ ଯେ ନିଷ୍ଠୁର କାଳଯମ । ଲଘିଂଲ ବିଧିର ନିୟମ ।।

ତୁମର ସତୀତ୍ୱକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ ।।

ଖୋଲିଲ ଚର୍ମ୍ୟପାଶ ମୋର । ଦୀର୍ଘାୟୁ ବୋଲି ଦେଲି ବର ।।

ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି ।।

ସତ୍ୟବାନଙ୍କ ମର ଦେହେ । ପ୍ରାଣ ଭରିବି ପୁନରାୟେ ।।

ସେ ସ୍ଥାନେ ଯାଅ ବେଗେଚଳି । ସ୍ୱାମୀଙ୍କୁ ନିଅ କୋଳେତୋଳି ।।

ସତୀ ପତ୍ନୀର ପରଶରେ । ରୋପିବି ପ୍ରାଣ ଶରୀରରେ ।।

ଏ ତୁମ ଅମର କାହାଣୀ । ଯୁଗକୁ ଯୁଗ ଥିବ ପୁଣି ।।

ସତୀତ୍ୱ ପତିବ୍ରତା ଶକ୍ତି । ମୃତ୍ୟୁକୁ ଗଲା ଆଜି ଜିତି ।।

ଯମ ଯେ ହେଲେ ଅନ୍ତର୍ଦ୍ଧାନ । ସାବିତ୍ରୀ କରିଲେ ପ୍ରଣାମ ।।

ଫେରିଲେ ମୃତ ସ୍ୱାମୀପାଶେ । କୋଳକୁ ଆଣିଲେ ସନ୍ତୋଷେ ।।

ସତେକି କାଉଁରୀ ପରଶେ । ଜନ୍ନକି ଉଠିଲା ଉଆସେ ।।

ସତେକି ନିଦରୁ ଉଠିଲେ । କହିଲେ ସ୍ୱପ୍ନ ଦେଖୁଥିଲେ ।।

ସେମିତି ଉଠି ସତ୍ୟବାନ । ନିରେଖି ସାବିତ୍ରୀ ବଦନ ।।

କହିଲେ ଏତେବେଳ ମୁହିଁ । ଶୋଇ ରହିଲି କାହିଁପାଇଁ ।।

ନପାଇ ଆମର ବାରତା । କି କରୁଥିବେ ପିତାମାତା ।।

ଆମ୍ଭର ପଥେ ସୁକୁମାରୀ । ଆସ ମୋ ବାମକର ଧରି ।।

ଏ ବନ ମୋର ପରିଚିତ । ପଥ ଯ ହେବ ଅନୁମତି ।।

ସାବିତ୍ରୀ କହିଲେ ହେ ନାଥ । ଆଜି ମୋ ପଥ ଆଲୋକିତ ।।

ତମେ ମୋ ସୀମନ୍ତରେ ଜହ୍ନ । ଚାନ୍ଦିନୀ ତୁମେ ମନବନ ।।

ଏ ବନେ ନାହିଁ ତେଣୁ ଭୟ । ମୋ ପାଇଁ ନହୁଅ ଅଥୟ ।।

ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି ।।

ସେ ବନ ପଥରେ ଦମ୍ପତ୍ତି । ଚଳିଲେ ଆନନ୍ଦରେ ଅତି ।।

ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ ଯେ ଝରେ ।।

ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି ।।

ପୁଅ ବୋହୁଙ୍କୁ ଦେଖିପାରି । ଆନନ୍ଦେ ଲୁହ ଗଲା ଝରି ।।

ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତେ ପଚାରି ।।

ସାବିତ୍ରୀ କହିଲେ ବୁଝାଇ । ଯମଙ୍କ ବରଦାନ ଏହି ।।

କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ ।।

ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି ।।

ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମେତସେନ ରାଜା ହେଲେ ।।

ଯୁବରାଜ ସେ ସତ୍ୟବାନ । କିଣିଲେ ପ୍ରଜାକୁଳ ମନ ।।

ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ଅମର କାହାଣୀ ।।

ଏମିତି କିଛିଦିନ ଗଲା । ଜ୍ୟେଷ୍ଠ ମାସର ଅମାହେଲା ।।

ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ ।।

ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ ।।

ନଡ଼ିଆ କଦଳୀ ଖଜୁରୀ । ଆମ୍ୱ ପଣସ ଡାଲା ଭରି ।।

ବିଭିନ୍ନ ପ୍ରକାର ଫଳରେ । ଭୋଗ ବାଢିଲେ ଭକ୍ତିଭରେ ।।

ଦୁବରେ ବରକୋଳି ପତ୍ର । ରଚିଲେ ସାତକେରି ମାତ୍ର ।।

ହଳଦୀ ରଙ୍ଗେ ନବସୁତା । ସାତ ଖିଅରେ କଲେ ଗୁନ୍ଥା ।।

ରିଡ଼ିଲେ ଗଣ୍ଠି ସାତଗୋଟି । ଲକ୍ଷ୍ମୀ ନାରାୟଣେ ସମର୍ପି ।।

ଦକ୍ଷିଣ ବାହୁରେ ବାନ୍ଧିଲେ । ଅଭୟ ବାହୁଟି ତୁଲେ ।।

ଶଙ୍ଖା ସିନ୍ଦୁର ନୂଆ ଶାଢୀ । ବିପ୍ରେ ଗାୟତ୍ରୀ ମନ୍ତ୍ର ପଢି ।।

ଦେଲେ ଯେ ତାହା ମନ୍ତୁରାଇ । ସାବିତ୍ରୀ ଅଙ୍ଗେ ଶୋଭା ପାଇ ।।

ସ୍ୱାମୀ ସମେତ ଗୁରୁଜନେ । ପ୍ରଣାମ କରି ଶୁଦ୍ଧମନେ ।।

ସଭିଙ୍କୁ ପ୍ରସାଦ ବାଣ୍ଟିଲେ । ସୁଚିତ୍ତେ ଫଳ ଆହରିଲେ ।।

ଏ ବ୍ରତ ଆଚରେ ଯେ ସତୀ । ହୋଇଲେ ଶତ ପୁତ୍ରବତୀ ।।

ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ ।।

ବାହୁଡ଼ି ଶଙ୍ଖା ସିନ୍ଦୁରରେ । ବାସ ଲଭିଲେ ସ୍ୱର୍ଗପୁରେ ।।

ସଧବା ନାରୀ କେହି ତେବେ । ଏ ବ୍ରତ ଆରମ୍ଭିଲେ ଯେବେ ।।

ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି ।।

କୃଷ୍ଣଙ୍କ ମୁଖୁ ଏହାଶୁଣି । ଯୁଧିଷ୍ଠିର ଯେ ଯୋଡ଼ିପାଣି ।।

ଭକ୍ତିରେ କଲେ ପ୍ରଣତିପାତ । ସଂସାରେ ଖ୍ୟାତ ହେଲା ବ୍ରତ ।।

ସାବିତ୍ରୀ କଥା ବ୍ରତ ଏହି । ସର୍ବେ ଶୁଣିବେ ମନଦେଇ ।।

ସୁମରି ଲକ୍ଷ୍ମୀ ନାରାୟଣ । ହୁଳହୁଳି ଯେ ଦେବେ ଜାଣ ।।

ସାବିତ୍ରୀ ବ୍ରତ କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ ।।

ଚିତ୍ତ ନିବେଶି ବିଷ୍ଣୁପାଦେ । ବୁଦ୍ଧିଆ କହେ ଗୀତଛନ୍ଦେ ।।

                       ସମାପ୍ତ

© Copyright Entrance India - Engineering and Medical Entrance Exams in India | Website Maintained by Firewall Firm - IT Monteur