Odia Sudasa Brata, Puja and Osha

ସୁଦଶା ବ୍ରତ

ଦମୟନ୍ତୀଙ୍କର

ଶ୍ରୀ ସୁଦଶା ବ୍ରତ କଥା ଆରମ୍ଭ

            ବନ୍ଦଇ ପରମ ଲକ୍ଷ୍ମୀ ଜଗତ ତାରେଣୀ । ସମୁଦ୍ରେ ମନ୍ଥନରୁ ଜାତ ହୋଇଲୁ ତୁ ପୁଣି ।୧। ତେଣୁ କରି ନାମ ହେଲା ଲକ୍ଷ୍ମୀ ନାରାୟଣୀ । ବିଷ୍ଣୁଙ୍କ ଘରଣୀ ମାଗୋ ଅଟୁ କମଳିନୀ ।୨। ଏଥୁ ଅନନ୍ତରେ ଦିନେ ଏମନ୍ତ ସମୟେ । ନାରଦ ମହର୍ଷି ଇନ୍ଦ୍ର ଭୁବନେ ବିଜୟେ ।୩। ଷଡ଼ ଅର୍ଘ୍ୟ ଦେଇ ଇନ୍ଦ୍ର ପାଦ ପୂଜା କଲେ । ବସିବା ନିମନ୍ତେ ଦିବ୍ୟ ଆସନେକ ଦେଲେ ।୪।

ଇନ୍ଦ୍ର ଉବାଚ

            କେବଣ ବ୍ରତ କଲେ କେବଣ ଫଳ ପାଇ । ଘରଣୀ ପୁତ୍ର ଦୁହିତା କେମନ୍ତ ମିଳଇ ।୧। ଏହା ମୋତେ ସଂକ୍ଷପିଣ କହିବା ଗୋସାଇଁ । ତବ ମୁଖୁ ଶୁଣିଲେ ପ୍ରତେ ଯିବି ମୁହିଁ ।୨।

ନାରଦ ଉବାଚ

            ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିଁମା । ଯହିଁରେ ସନ୍ତୋଷ ହ୍ୱନ୍ତି ମହାଲକ୍ଷ୍ମୀ ଉମା ।୧। ମର୍ତ୍ତ୍ୟ ମଣ୍ଡଳରେ ତାର ଅବନ୍ତୀ ନଗର । ତହିଁ ବିଷ୍ଣୁ କର ବୋଲି ଅଟେ ଦ୍ୱିଜବର ।୨। ତାହାର ଭାରିଯା ନାମ ଅଟେ ଲକ୍ଷ୍ମୀବତୀ । ସେ ବ୍ରାହ୍ମଣୀ ଲକ୍ଷ୍ମୀ ବ୍ରତ ସର୍ବଦା କରନ୍ତି ।୩। ଲକ୍ଷ୍ମୀଙ୍କର ଦୟା ତେଣୁ ହେଲା ତା ଉପରେ । ଅଚଳା ସମ୍ପତ୍ତି ଭୋଗ କରେ ମଞ୍ଚପୁରେ ।୪। ଏଥୁ ଅନ୍ତରେ ଇନ୍ଦ୍ର ଶୁଣ ମନ ଦେଇ ଲକ୍ଷ୍ମୀଙ୍କର ବ୍ରତ ତୋତେ କହିବା ବୁଝାଇ ।୫। ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର । ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେ ଦିନର ।୬। ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା । ଏକବର୍ଣ୍ଣ ଗାଈର ଯେ ଗୋବର ଆଣିଲା ।୭। ସୁସଞ୍ଚ କରି ଘର ଦୁଆର ଲିପିଲା । ନଦୀରେ ସ୍ନାନ କରିଣ ଘରକୁ ଅଇଲା ।୮। ତଣ୍ଡୁଳ ବାଟିଣ ଝୋଟି ଆଭରଣ କଲା । ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ସୁମରଣା କଲା ।୯। ଦଶବର୍ଣ୍ଣ ମୁରୁଜରେ ପିତୁଳା ଲିପିଲା । ଦଶ ଯେ ପାଖୁଡ଼ା କରି ପଦ୍ମେକେ ଲେଖିଲା ।୧୦। ତହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥାପିଲା । ଘଟର ଉପରେ ଚୂତ ଡାଳକ ଥୋଇଲା ।୧୧। ନାରିକେଳ ଏକ ଗୋଟି ଘଟପରେ ଦେଲେ । ଦଶମୁଖୀ ଦୀପାବଳୀ ଜାଗର ଜାଳିଲେ ।୧୨। ଦଶଖିଆ ଧଳା ସୂତ୍ରେ ବ୍ରତକୁ ଭାଙ୍ଗିଲେ । ଗଉରୀ ନାମେଣ ବେତ ପାଖରେ ଥୋଇଲେ ।୧୩। ଦଶମୁଷ୍ଟି ତଣ୍ଡୂଳ ସେ ଘଟ ପାଖେ ଦେଲେ । ବଦରି ଫଳ ଗୋଟିଏ ଗୋଟିଏ ଯେ ଦେଲେ ।୧୪। ଉପରେ ଚନ୍ଦ୍ରାତାପ ଚାନ୍ଦୁଆ ଟାଣାଇଲେ । ଦଶ ମେଞ୍ଚା ହଳଦୀ ସେ ପୂର୍ଣ୍ଣକୁମ୍ଭ ଦେଲେ ।୧୫। ସିନ୍ଦୂର କଜଳ ନେଇ ଘଟପରେ ଦେଲେ । ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ ।୧୬। ଛେନାପଣା କଦଳୀ ଯେ ସରଘୃତ ଦେଲେ । ଦଶ ଗୋଟି ମଣ୍ଡା ଦେଇ ଆଗରେ ଥୋଇଲେ ।୧୭। କର୍ପୂରରେ ଯୁକ୍ତ କରି ଆଣିଣ ବାଢିଲେ । ନଇବେଦ୍ୟ ଦେଇ ପୁଣି କଥା  ଯେ ଶୁଣିଲେ ।୧୮। ଶ୍ରୀ ମହାଲକ୍ଷ୍ମୀଙ୍କି ସେ ସମରଣା କଲେ । ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ ।୧୯। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ । ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ ।୨୦। ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରୀୟା । ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୨୧। ପଞ୍ଚମ ଗଣ୍ଠିର ନାମ ଅଟଇ କମଳା । ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୨୨। ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ । ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲରୀ ।୨୩। ନବମ ଗଣ୍ଠିର ନାମ ଦୁର୍ଗତୀ ନାଶିନୀ । ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୨୪। ଦଶନାମ ଧରିଣ ସେ ବ୍ରତ ଗଣ୍ଠି ଦେଲେ । ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ ।୨୫। ସୂର୍ଯ୍ୟଙ୍କୁ ଯେ ଅର୍ଘ୍ୟ ଦେଇ ବନ୍ଦାପନା କଲେ । ନଦୀରୁ ଯେ ପାଣି ତୁମ୍ଭେ ଆଣିବାକୁ ଗଲେ ।୨୬। ବ୍ରତ ହସ୍ତରୁ ଖସାଇ ଜଳରେ ରଖିଲେ । ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ ।୨୭। ମାଂସ ମେଞ୍ଚା ପ୍ରାୟ ପାଟବସ୍ତ୍ର ଦିଶୁଥିଲା । ଚିଲପକ୍ଷୀ ଝାମ୍ପ ଦେଇ ବେଗେ ଘେନିଗଲା ।୨୮। ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଅଇଲା । ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା ।୨୯। ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଲା । ଦେଖିଲା ସେ ବ୍ରତ ଚିଲ ଘେନି ଯାଉଥିଲା ।୩୦। ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା । ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା । ୩୧। ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା । ଚିଲପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା । ୩୨। ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲା । ମୃଗୟା ବିନୋଦେ ନଳ ବନସ୍ତକୁ ଗଲା ।୩୩। ବ୍ରାହ୍ମଣୀ ରୋଦନ ରାଜା କର୍ଣ୍ଣେ ଯେ ଶୁଣିଲେ । ଏ ବନସ୍ତେ କେ କାନ୍ଦୁଛି ବୋଲିଣ ବୋଇଲେ ।୩୪। ସୈନିକ ସଖା ଘେନି ରାଜା ବିଜେ କରିଲେ । ବ୍ରାହ୍ମଣୀ ପାଖରେ ଯାଇଁ ପ୍ରବେଶ ହୋଇଲେ ।୩୫। ବ୍ରାହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ । କି ନିମନ୍ତେ କାନ୍ଦୁଅଛୁ ବୋଲିଣ ବୋଇଲେ ।୩୬। ଏହା ଶୁଣୀ ବ୍ରାହ୍ମଣୀ ଯେ ରାଜାଙ୍କୁ କହଇ । ମୋହର ଦୁଃଖକୁ ବାବୁ ପାରିବ କି ଫେଡ଼ି । ୩୭। ନଳ ରାଜା ବୋଇଲେ ହେ ଯେ ଦୁଃଖ ତୋହର । ମୋ ଆଗେ କହିଲେ ତାହା କରିବଇଁ ଦୂର ।୩୮। ଏହା ଶୁଣି ବ୍ରାହ୍ମଣୀ ଯେ ବୋଲଇ ଉତ୍ତର । ସତ୍ୟ କର ତୁମ୍ଭେ ରାଜା କହିବି ଛାମୁର ।୩୯। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ । ଯାହା ତୁମ୍ଭେ ମାଗ ତାହା ଦେବଇଁ ବୋଇଲେ ।୪୦। ଏହା ଶୁଣି ବ୍ରାହ୍ମଣୀ ଯେ ହରଷ ହୋଇଲା । ମୋହର ସୁଦଶାବ୍ରତ ଚିଲ ଘେନିଗଲା ।୪୧। ତୁମ୍ଭର ଯେ ମହାଦେଇ ବ୍ରତ କରୁଛନ୍ତି । ସେହି ବ୍ରତଗୋଟି ମୋତେ ଦେବ ହୋ ନୃପତି ।୪୨। ଏହା ଶୁଣି ମହାରାଜା ସନମତ କଲେ । ବ୍ରାହ୍ମଣୀକୁ ଘେନି ନିଜ ରାଜ୍ୟେ ଚଳିଗଲେ ।୪୩। ବ୍ରାହ୍ମଣୀକୁ ସିଂହଦ୍ୱାରେ ବସାଇ ନୃପତି । ଅନ୍ତଃପୁରକୁ ଗମନ କଲେକ ତଡ଼ତି ।୪୪। ରାଣୀକୁ ଯାଇଣ ନଳ ରାଜା ଯେ କହିଲେ । ଆମ୍ଭକୁ ଏକ ମାଗୁଣି ଦେବକି ବୋଇଲେ ।୪୫। ଏହା ଶୁଣି ମହାରାଣୀ ସ୍ତବ୍‌ଧ ହୋଇଲେ । ଆମ୍ଭକୁ କିଏ ମିଳିବ ଦେବଇ ବୋଇଲେ ।୪୬। ନଳ ରାଜା ବୋଇଲେ ଗୋ ସତ୍ୟ ଏବେ କର । ତେବେ ମୁଁ କହିବି ସିନା ମାଗୁଣି ମୋହର ।୪୭। ଏହା ଶୁଣି ମହାଦେଇ ସତ୍ୟବାକ୍ୟ କଲେ । ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋ ବୋଇଲେ ।୪୮। ସତ୍ୟବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର । ଶ୍ରୀ ସୁଦଶାବ୍ରତ ଗୋଟି ଦିଅ ଗୋ ତୁମ୍ଭର ।୪୯। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ । ଶ୍ରୀ ସୁଦଶାବ୍ରତ ଦେବା ନୁହଁଇ ବୋଇଲେ ।୫୦। ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି । ବ୍ରତ ଦେଲେ କନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ିଯାନ୍ତି ।୫୧। ଦରିଦ୍ର ଭିକ୍ଷୁକ ବ୍ୟାଧିମନ୍ତ ସେହୁ ହୋଇ । ଲକ୍ଷ୍ମୀଙ୍କ ବ୍ରତ ଏହା ଦେଇ ନ ପାରଇ ।୫୨। ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ । ହସ୍ତରୁ ଖସାଇ ବ୍ରତ ରାଜା କରେ ଦେଲେ ।୫୩। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ । ବ୍ରାହ୍ମଣୀ ହସ୍ତରେ ବ୍ରତ ନେଇଣ ଯେ ଦେଲେ ।୫୪। ବ୍ରତପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା । ରାଜାଙ୍କୁ ଆଶୀଷ କରି ନିଜ ପୁରେ ଗଲା ।୫୫। ସେ ବ୍ରତ ନେଲା କଞ୍ଚା ଦୁଧରେ ଧୋଇଲା । ଦଶଗୋଟି ମଣ୍ଡାକରି ପାଣି ଛଡ଼ାଇଲା ।୫୬। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲେ । ପାରଣ କରି ବ୍ରାହ୍ମଣୀ ଆନନ୍ଦେ ରହିଲେ ।୫୭। ନାରଦଙ୍କୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛାକଲେ । ନଳରାଜାଙ୍କର କିସ ହୋଇଲା ବୋଇଲେ ।୫୮। ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ । ନଳ ରାଜାଙ୍କ ବିପତ୍ତି ତତେ ଦେବା କହି ।୫୯। ଚରିଯିବା ଗୋରୁ ଆଉ ଘରକୁ ନଇଲେ । ପୋତିଲାର ଧନ ସବୁ ବାସୁକୀ ହରିଲେ ।୬୦। ଧାନ ଚାଉଳ ତ ସବୁ ବସି ଯେ ଖାଇଲେ । ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ ।୬୧। ରାଜା ରାଣୀ ଅନ୍ନ ବସ୍ତ୍ର କିଛି ନ ପାଇଲେ । ରାଜାଙ୍କୁ ରାତ୍ରରେ କାଳ ପୁରୁଷ ଡ଼ାକିଲେ ।୬୨। ରାଜ୍ୟ ଛାଡ଼ିକରି ରାଜା ପାଳାଇଣ ଯାଆ । ରାଜ୍ୟେ ଥିଲେ ନିଶ୍ଚୟ ମରିବୁ ନ ପନାହା ।୬୩। ଏହା ଶୁଣି ନଳ ରାଜା ଚେତିଣ ଉଠିଲେ । ମହାଦେଇ ପାଶେ ଯାଇ ସକଳ କହିଲେ ।୬୪। ଚାଳ ତୁମ୍ଭ ପିତାଘର ଯିବା ହେ ବୋଇଲେ । ଏହା ଶୁଣି ମହାଦେଈ ସନମତ କଲେ ।୬୫। ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ । ଗୃହକୁ ଛାଡ଼ିଣ ବିଜେ ରାଜାରାଣୀ କଲେ ।୬୬। ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ । ଏଠାରେ ସ୍ନାହାନ ରାଣୀ କରିବା ବୋଇଲେ ।୬୭। ଏଠାରେ ସ୍ନାହାନ କରି ଯେ କିସ କରିବା । ପାଖରେ ତ କିଛି ନାହିଁ କଅଣ ଖାଇବା ।୬୮। ଏହା କହି ରାଜା ରାଣୀ ଜଳରେ ପଶିଲେ । ଚାରୋଟି ଗଡ଼ିଶା ମାଛ ଧରିଣ ଆଣିଲେ ।୬୯। ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ । ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ ।୭୦। ଏହା କହି ମହାରାଜା ବିଜେ କରିଗଲେ । ବିଷ୍ଣୁକର ପଣ୍ଡା ଘରେ ପ୍ରବେଶ ହୋଇଲେ ।୭୧। ଆମ୍ଭଙ୍କୁ ଭୋଜନ କିଛି ଦେବ କି ବୋଇଲେ । ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣି ଦେଲେ ।୭୨। ହରଷ ହୋଇ ରାଜା ଲେଉଟି ଅଇଲେ । ଗୃହେ ପତ୍ନୀ ଘରେ ଅନ୍ନ ଦାନକୁ ଥୋଇଲେ ।୭୩। ଝାମ୍ପ ଦେଇ କାକପକ୍ଷୀ ଦାନ ଘେନିଗଲା । ତଳେ ପଡ଼ି ଅନ୍ନମାଟି ଧୂଳି ହୋଇଗଲା ।୭୪। ବିରସ ହୋଇଣ ରାଜା ସେଠାରୁ ଆସିଲେ । ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ ।୭୫। ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ, ସେହି ମାଛ ଜୀବପାଇ ଜଳେ ଗଲେଡ଼େଇଁ ।୭୬। ଆଚମ୍ୱିତ ହୋଇ ରାଣୀ କଲେକ କ୍ରନ୍ଦନ । ପାଶେ ଆସି ମହାରାଜା ମିଳିଲେ ବହନ ।୭୭। ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭକୁ । ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଳକୁ ।୭୮। ଏହା ଦେଖି ମହାରାଜା ବିସ୍ମୟ ହୋଇଲେ । ଚାଲ ଏଠାବରୁ ରାଜା ବୋଲିଣ ବୋଇଲେ ।୭୯। ଏତେ କହି ରାଜା ରାଣୀ ବିଜେ କରିଗଲେ । ବନସ୍ତ ଭିତରେ ଏକ ଦ୍ୱୀପ ଯେ ଦେଖିଲ ।୮୦। ସଭାଚନ୍ଦ୍ର କୁମରକୁ କୋଳରେ ଧଇଲେ । ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ ।୮୧। ଏମନ୍ତ ସମୟେ ଏକ କୁମ୍ଭୀର ମିଳିଲା । ସଭାଚନ୍ଦ୍ର କୁମରକୁ ତଡ଼ତି ଗିଳିଲା ।୮୨। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ । କାନ୍ଦି କାନ୍ଦି ଯାଇଣ ଯେ ବନସ୍ତେ ପଶିଲେ ।୮୩। ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ । ରାଜାରାଣୀ ସେ ମନ୍ଦିର ଭିତରେ ରହିଲେ ।୮୪। ଅଳଙ୍କାର ଖୋଲିରାଣୀ ଅଞ୍ଚଳେ ବାନ୍ଧିଲେ । ସେହିଠାରେ ରାଜାରାଣୀ ଶ୍ରମେ ନିଦ୍ରା ଗଲେ ।୮୫। ସେ ମନ୍ଦିର କାନ୍ଥେ ଚିତ୍ରମୟୁର ଯେ ଥିଲା । ରାଣୀ ଅଳଙ୍କାରମାନ ସବୁ ଗିଳିଦେଲା ।୮୬। ରାଣୀଙ୍କ ନୟନେ କାଳନିଦ୍ରା ଯେ ଘାରିଲା । ରାଣୀଙ୍କୁ ଛାଡ଼ି ରାଜା ତହୁଁ ପଲାଇଲେ ।୮୭। ସେଠାବରୁ ନଳରାଜା ଭ୍ରମି ଭ୍ରମି ଗଲା । ଭୀମରାଜା ରାଜ୍ୟେ ଯାଇଁ ପ୍ରବେଶ ହୋଇଲା ।୮୮। ଭୀମରାଜା ଆଗରେ ସେ ଜଣାଇବେ ଯାଇ । ଆମ୍ଭଙ୍କୁ ରଖ ହେ ରାଜା କିଛି ପଣ ଦେଇ ।୮୯। କେଉଁ ଦେଶେ ଘର ପୁଣି କେଉଁ ଜାତି ଶୁଣ । କେଉଁ କେଉଁ ବିଦ୍ୟାମାନ କରିଛ ସାଧନ ।୯୦। ନଳ ରାଜାଙ୍କର ସୁପକାର ଥିଲା ମୁହିଁ, ଗଉରୀ ଶଉରୀ ବିଧି ରାନ୍ଧଣା ଜାଣଇଁ ।୯୧। ଏହା ଶୁଣି ଭୀମରାଜା ହରଷ ହୋଇଲେ । ଆମ୍ଭ ସୁପକାର ହୋଇଥାଅ ହୋ ବୋଇଲେ ।୯୨। ଆଜ୍ଞା ପାଇ ନଳ ରାଜା ସନମତ କଲେ । ରୋଷେଇ ଶାଳରେ ଯାଇଁ ପ୍ରବେଶ ହୋଇଲେ ।୯୩। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ । ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରି ଦେଲେ ।୯୪। ତାହାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲା । ଛନ୍ନ ଛନ୍ନ ହୋଇ ସେ ସ୍ଥାନରୁ ଚଳିଗଲା ।୯୫। ବାଟେ ପଚାରି ପଚାରିଣ ଗଲା । ଭୀମୀରାଜା ରାଜ୍ୟେ ଯାଇ ପ୍ରବେଶ ହୋଇଲା ।୯୬। ଭୀମସେନ ଅନ୍ତଃପୁରେ ଯାଇଣ ମିଳିଲା । ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା ।୯୭। ଦମୟନ୍ତୀ କହନ୍ତି ଯେ ମହାଦେଇ ପାଶ । ଭାତ ଲୁଗା ଦେଇ ରଖ ତୁମ୍ଭର ଉଆସ ।୯୮। ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ । କର୍ମ ଅଭାଗ୍ୟରୁ ମୁହିଁ ସେଠାରୁ ଆସଇ ।୯୯। ଏହା ଶୁଣି ମହାଦେଇ ହରଷ ହୋଇଲେ । ଆମ୍ଭ ଅନ୍ତଃପୁରେ ଦାସୀ ହୋଇଥାଅ ଭଲେ ।୧୦୦। ଏହା ଶୁଣି ଦମୟନ୍ତୀ ସନମତ କଲେ । ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ ।୧୦୧। ଏଥୁ ଅନନ୍ତରେ ଶୁଣ ଇନ୍ଦ୍ର ମନ ଦେଇ । ନଳ ରାଜାଙ୍କର ଶୁଭବାର୍ତ୍ତା ଦେବା କହି ।୧୦୨। ଭାଦ୍ରମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର । ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେ ଦିନର ।୧୦୩। ପାଟ ଜ୍ୟୋତିଷ ଯାଇ ରାଣୀଙ୍କୁ କହିଲା । କାଲିଠୁ ସୁଦଶା ବ୍ରତ ପଡୁଛି ବୋଇଲା ।୧୦୪। ଜ୍ୟୋତିଷଙ୍କୁ ଧନ ରତ୍ନ ଦେଇ ବିଦା କଲା । ଦାସୀମାନଙ୍କୁ ଡ଼ାକିଣ ବୁଝାଇ କହିଲା ।୧୦୫। ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ । ଏକବର୍ଣ୍ଣ ଗାଈର ସେ ଗୋବର ଆଣିଲେ ।୧୦୬। ସୁସଞ୍ଚ କଣିଣ ଘର ଦୁଆର ଲିପିଲେ । ନଦୀରେ ସ୍ନାନ କରିଣ ଘରକୁ ଆସିଲେ ।୧୦୭। ତଣ୍ଡୁଳ ବାଟିଣ ଝୁଣ୍ଟିଆଳ ପଣା ଦେଲେ । ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କହିଲେ ।୧୦୮। ମହାରାଣୀ ମୋ ପ୍ରତି ଯଦି ଦୟା ହେବ । ଓଷାର ଉପକରଣ ଯେବେ ମୋତେ ଦେବ ।୧୦୯। ଶ୍ରୀ ସୁଦଶା ବ୍ରତଟିକୁ କରନ୍ତି କହିଲେ । ଏହାଶୁଣି ମହାଦେଇ ସନ୍ତୋଷ ହୋଇଲେ ।୧୧୦। ବ୍ରତ ଯେବେ କର ତୁମ୍ଭେ କର ଗୋ ବୋଇଲେ । ଦମୟନ୍ତୀ ଶୀଘ୍ର ସ୍ନାନ କରିଣ ଆସିଲେ ।୧୧୧। ଅତି ଯତନରେ ନେଇ ଘଟିକେ ସ୍ଥାପିଲେ । ହଳଦୀ ଚନ୍ଦନ ନେଇ ଘଟପରେ ଦେଲେ । ଚୂତ ଡ଼ାଳ ଦେଇ ଦୀପମାନ ଲଗାଇଲେ ।୧୧୨। ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧପୁଷ୍ପ ଦେଲେ ।୧୧୩। ପୁରମଣ୍ଡା ଦଶଗୋଟି ଆଗରେ ଥୋଇଲେ । ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ ।୧୧୪। ଲକ୍ଷ୍ମୀ ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ । ଆସ ଆସ ମହାଲକ୍ଷ୍ମୀ ହୃଦେ ସୁମରିଲେ ।୧୧୫। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ । ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ ।୧୧୬। ତୃତୀୟ ଗଣ୍ଠିର ନାମ ଶ୍ରୀ ହରିପ୍ରିୟା । ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୧୧୭। ପଞ୍ଚମ ଗଣ୍ଠିର ନାମ ସିନ୍ଧୁର ଅଟଇ କମଳା । ଷଷ୍ଠ ଗଣ୍ଠିର ନାମ ଯେ ହୋଇଲା ଚଞ୍ଚଳା ।୧୧୮। ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ । ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ । ୧୧୯। ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ । ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୧୨୦। ଲକ୍ଷ୍ମୀ ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ । ପରମାଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ ।୧୨୧। ଭୋଗରୁ ଲକ୍ଷ୍ମୀ ମୋତେ ଅନୁଗ୍ରହ ହେଉ । ପୁତ୍ର ଗେରସ୍ତ ଆବର ରାଜ୍ୟ ପ୍ରାପ୍ତି ହେଉ ।୧୨୨। ଏସନ ଭାବନା କରି ମନେ ସୁମରିଲେ । ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କହିଲେ ।୧୨୩। ଯାଅ ତୋର ପୁଅ ସ୍ୱାମୀ ପ୍ରାପତ ହୋଇବେ । ତୋର ହସ୍ତେ ଶତ୍ରୁମାନେ ନିପାତ ହୋଇବେ ।୧୨୪। ନଳ ରାଜାଙ୍କୁ ଲକ୍ଷ୍ମୀ ସନ୍ତୋଷ ହୋଇଲେ । ଏଣେ ନଳ ରାଜାଙ୍କର ମନ୍ତ୍ରୀ ବିଚାରିଲେ ।୧୨୫। ଆମ୍ଭର ଯେ ମହାରାଜା କେଣେ ଚଳିଗଲେ । ରାଜ୍ୟରେ କାହାକୁ ରାଜା କରିବା ବୋଇଲେ ।୧୨୬। ଏହାଶୁଣି କେହି ବୋଲେ ହେବି ମୁଁ ରାଜନ । ଆଉ ବୋଲେ ମୁହିଁ ହେବି ନୃପରାଣ ।୧୨୭। ଏହିପରି ପରସ୍ପରେ କରିଲେକ ଗୋଳ । ତହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀବର ।୧୨୮। ମନ୍ତ୍ରୀ କହେ ଆମ୍ଭ ରାଜା କେଉଁଠାରେ ଛନ୍ତି । ଆଉ ଜଣେ କେଉଁପରି ହୋଇବ ନୃପତି ।୧୨୯। ମନ୍ତ୍ରୀ ବୋଇଲେ ଶୁଣ ସର୍ବେ ମୋର ବିଚାର । ପାଟହସ୍ତୀକୁ ମଣ୍ଡୀଣ ଛାଡ଼ି ଯା ସତ୍ୱର ।୧୩୦। ସୁବର୍ଣ୍ଣ କଳସେ ଗଙ୍ଗାଜଳ ଶିରେ ଦେଇ । ଛାଡ଼ିଦେବା ଯାହାପରେ ଢାଳିବ ଯେ ସେହି ।୧୩୧। ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ । ପାଟହସ୍ତୀ ମଣ୍ଡି ଛାଡ଼ି ଦେଲେ ତତକ୍ଷଣ ।୧୩୨। ମନ୍ତ୍ରୀ ପୁରୋହିତ ସହ ସକଳ ଚଳିଲେ । ରାଜ୍ୟର ପରଜା ବୃନ୍ଦ ସର୍ବେ ଗୋଡ଼ାଇଲେ ।୧୩୩। ନିଜ ଇଚ୍ଛା ମତେ ହସ୍ତୀ ଦ୍ରୁତଗାମୀ ହୋଇ । ଭୀମ ରାଜା ରାଜ୍ୟେ ପ୍ରବେଶିଲେ ହସ୍ତୀ ଯାଇ ।୧୩୪। ପାଟହସ୍ତୀ  ଯାଇ ନଳରାଜାଙ୍କୁ ଭେଟିଲା । ସୁବର୍ଣ୍ଣ କଳସ ଜଳ ଶିରରେ ଢାଳିଲା ।୧୩୫। ରାଜାଙ୍କୁ ନେଇଣ ହସ୍ତୀ ପୃଷ୍ଠେ ବସାଇଲେ । ଜୟ ନଳରାଜା ବୋଲି ଉଚ୍ଚେ ଡାକ ଦେଲେ ।୧୩୬। ସେ ନଗ୍ରରେ ନର ନାରୀ ମାନେ ଦେଖୁଥିଲେ । ରାଜାଙ୍କ ଅଗ୍ରତେ ଯାଇ ସମସ୍ତ କହିଲେ ।୧୩୭। ଗୁପ୍ତେ ନଳରାଜା ସୁପକାର ପଣେ ଥିଲେ । ଏଥି ଥିବାଯାଏ ତ କେହି ନ ଚିହ୍ନିଲେ ।୧୩୮। ତାଙ୍କ ରାଜ୍ୟେ ପାତ୍ରମନ୍ତ୍ରୀ ସମସ୍ତେ ଅଇଲେ । ନଳରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ ।୧୩୯। ଏହା ଶୁଣି ଭୀମ ରାଜା ହରଷ ହୋଇଲେ । ନଳରାଜାଙ୍କୁ ଗୌରବ କରି ଘେନିଗଲେ ।୧୪୦। ଅନ୍ତପୁରେ ଦମୟନ୍ତି ରାଣୀଙ୍କୁ ଚିହ୍ନିଲେ । ଏତ ଆମ ଦମୟନ୍ତୀ ଦୁହିତା ବୋଇଲେ ।୧୪୧। କି ନିମନ୍ତେ ଆସି ଏଥି ଗୁପତେ ରହିଲେ । କି ନିମନ୍ତେ ଏ ବିରୂପ ରୂପ ହୋଇଥିଲେ ।୧୪୨। ଦମୟନ୍ତୀ ଏହା ପୁଣି ବୁଝାଇ କହିଲେ । ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜ୍ୟେ ତଡ଼ାଇଲେ ।୧୪୩। ବନସ୍ତ ମଧ୍ୟରେ ସଭାଚନ୍ଦ୍ରକୁ ହରାଇ । ମୋତେ ଛାଡ଼ିକରି ରାଜା ଗଲେକ ପଳାଇ ।୧୪୪। ଏହା ଶୁଣି ମହାଦେଇ ରାଜାଙ୍କୁ କହନ୍ତି । ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି ।୧୪୫। ଭୀମରାଜା କହନ୍ତି ନଳ ଆସିଛନ୍ତି । ଏହା ଦେଖି ରାଜାରାଣୀ ହରଷ ହୁଅନ୍ତି ।୧୪୬। ଦମୟନ୍ତୀଙ୍କୁ ଧରିଣ ନଳପାଶେ ଗଲେ । ଦମୟନ୍ତିଙ୍କୁ ଦେଖିଣ ନଳ ଖୁସି ହେଲେ ।୧୪୭। ରାଜାରାଣୀଙ୍କ ପାଦତଳେ ପଡ଼ିଲେ । ମନବାଞ୍ଛା ପୂର୍ଣ୍ଣ ହେଉ ବୋଲିଣ ବୋଇଲେ ।୧୪୮। କିଛିଦିନ ନଳ ପୁଣି ସେଠାରେ ରହିଲେ । ଏହା ଦେଖି ରାଜାରାଣୀ ହରଷ ହୋଇଲେ ।୧୪୯। ରାଜାଙ୍କ ଅଗ୍ରତେ ଯାଇଁ ନଳ ଜଣାଇଲେ । ନିଜ ରଜ୍ୟେ ଯିବୁ ଆମ୍ଭେ ଆଜ୍ଞା ହୋଇଲେ ।୧୫୦। ବିଧିମତେ ସନମାନ ନଳରାଜାଙ୍କୁ ଯେ କଲେ । ପାଟ ପୀତାମ୍ୱର ରାଜା ଯେ ପିନ୍ଧିଲେ ।୧୫୧। ନାନା ଅଳଙ୍କାର ଦେଇ ଭୁଷଣ କରିଲେ । ବିନୟ ହୋଇଣ ରାଣୀ ମାତାଙ୍କୁ କହିଲେ ।୧୫୨। ଦୟା ରଖିବ ପିତା ମାତାଙ୍କୁ କହିଲେ । ଆଶୀଷ କଲ୍ୟାଣ କରି ବିନୟ ହୋଇଲେ ।୧୫୩। ରତ୍ନ ହାନ୍ଦୋଳରେ ନେଇ ବିଜେ କରାଇଲେ । ବିନୟ ହୋଇଣ ରାଣୀ ଦାସୀଙ୍କୁ କହିଲେ ।୧୫୪। ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ । ବିଦାୟ ଦିଅ  ଯାଉଛି ନିଜ କର୍ମ ସ୍ଥଳେ ।୧୫୫। ଶୁଭବେଳେ ରାଜାରାଣୀ ରାଜ୍ୟକୁ ଗମିଲେ । ପାତ୍ରମନ୍ତ୍ରୀ ସର୍ବେ ସଙ୍ଗେ ଗୋଡ଼ାଇଲେ ।୧୫୬। ଶଙ୍ଖଶବଦରେ ରାଜ୍ୟ କମ୍ପାଇଲେ । ଶୁଭ ଅନୁକୁଳ ଧରି ବାହାର ହୋଇଲେ । କିଛି ଦୂର ଗଲା ପରେ ମନ୍ଦିରେ ଭେଟିଲେ । ଜୟଶଙ୍ଖ ବୀର ଶବ୍ଦ ତୁରୀ ବଜାଇଲେ ।୧୫୮। ଯେଉଁ ମୟୁରଟି ରାଣୀ ମାଳା ଗିଳିଥିଲା । ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍‌ଗାରିଣ ଦେଲା ।୧୫୯। ଅଳଙ୍କାର ପାଇ ରାଣୀ ହରଷ ହୋଇଲେ । ସୁରଦେବ ରାଣୀ ଶାପମୁକ୍ତ ହୋଇ ଗଲେ ।୧୬୦। ଏଠାବରୁ ପାତ୍ରମନ୍ତ୍ରୀମାନେ ବିଦାକଲେ । ତୁମ୍ଭେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ ।୧୬୧। ସେଠାବରୁ ପାତ୍ରମନ୍ତ୍ରୀ ବିଦାୟ ହୋଇଲେ । ରାଜାରାଣୀ ବହୁତ ଆଶିଷ ବାଞ୍ଛିଲେ ।୧୬୨। ହସ୍ତୀପୃଷ୍ଠେ ବସି ରାଜାରାଣୀ ଚାଲିଗଲେ । ବନସ୍ତ କନ୍ଦରେ ନଦୀ ନିକଟେ ମିଳିଲେ ।୧୬୩। ଶଙ୍ଖଧ୍ୱନି ଶବଦରେ ନଦୀ କମ୍ପିଗଲା । ଶବ୍ଦ ଶୁଣିଣ କୁମ୍ଭୀର ତଡ଼ିତ ଆସିଲା ।୧୬୪। ସଙ୍ଗେ ସଙ୍ଗେ ସଭାଚନ୍ଦ୍ର ଉଦ୍‌ଗାରିଲା । ଏ ଜନ୍ମରୁ ମୋତେ ମୁକ୍ତ କରନ୍ତୁ ବୋଇଲା ।୧୬୫। ପୁତ୍ରକୁ ପାଇଣ ରାଣୀ ହରଷ ହୋଇଲେ । ଶୁଭ ଦେବରାଜ୍ୟ ଶାପୁ ମୁକ୍ତ ହୁଅ ଭଲେ ।୧୬୬। ସଭାଚନ୍ଦ୍ରକୁ ନେଇଣ କୋଳେ ବସାଇଲେ । ସେଠାରୁ ରାଜାରାଣୀ ସୁଧରେ ଚଳିଲେ । ମହାଲକ୍ଷ୍ମୀ ନଳକୁ ଯେ ସଦୁୟା କରିଲେ । ବେତାଳମାନଙ୍କୁ ଡ଼ାକି ତହୁଁ ଆଜ୍ଞା ଦେଲେ ।୧୬୮। ରାଜାର ଭଣ୍ଡାର ସର୍ବପୂର୍ଣ୍ଣ କରିଆସ । ପୂର୍ଣ୍ଣକରି ଆସି କହିବଟି ବସ ।୧୬୯। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ । ନଳରାଜାଙ୍କ ଭଣ୍ଡାର ସଂପୂର୍ଣ୍ଣ କରିଲେ ।୧୭୦। ଲେଉଟିଣ ଆସୀ ଲକ୍ଷ୍ମୀ ପାଶେ ଜଣାଇଲେ । ଭଣ୍ଡାର ପୁର୍ଣ୍ଣ ଶୁଣିଣ ସନ୍ତୋଷ ହୋଇଲେ ।୧୭୧। ଏ ସମୟେ ନଳରାଜା ରାଜ୍ୟେ ପହଞ୍ଚିଲେ । ସିଂହ ଦରଜେ ପହଞ୍ଚି ହରଷ ହୋଇଲେ ।୧୭୨। ରାଜାରାଣୀ ପାତ୍ରମନ୍ତ୍ରୀ ଦେଖି ଧାଇଁଗଲେ । ସମାରୋହେ ପାଦତଳେ ସର୍ବେ ଲେଉଟିଲେ । ୧୭୩। ଉଠ ସର୍ବ ରାଜାରାଣୀ ଏମନ୍ତ କହିଲେ । ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ । ୧୭୪। ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ । ଶୁଭବେଳେ ରାଜାରାଣୀ ଅଭିଷେକ ହେଲେ ।୧୭୫। ବାଦ୍ୟ ଶବଦରେ ରାଜ୍ୟ ଆନନ୍ଦ ଲଭିଲେ । ନଗ୍ର ବୁଲି ବୁଲି ରାଜା ବହୁ ଧନ ଦେଲେ ।୧୭୬। ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ । ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ ।୧୭୭। ଏହା ପରେ ଶ୍ରୀ ସୁଦଶା ବ୍ରତ ହିଁ ପଡ଼ିଲା । ବ୍ରତ କରିବାକୁ ରାଣୀ ରାଜାଙ୍କୁ କହିଲା ।୧୭୮। ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କ କହନ୍ତେ । ଇନ୍ଦ୍ର ସହିତରେ ଶଚୀ ଏ ବ୍ରତ କରନ୍ତେ ।୧୭୯। ନାରଦ ୠଷିଙ୍କଠାରୁ କଥାକୁ ଶୁଣିଲେ । ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ ।୧୮୦। ଦକ୍ଷିଣା ପାଇଣ ନାରଦ ବିଜେ କରିଗଲେ । ଏ ବିଧିରେ ନର ନାରୀ ଲକ୍ଷ୍ମୀବ୍ରତ କଲେ ।୧୮୧। ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି । ତାଙ୍କ କାନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି ।୧୮୨। ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି । ସଦା ଜୟେ ସମ୍ପୂର୍ଣ୍ଣେ ହେ ସୁଦଶା ବ୍ରତଟି ।୧୮୩।

ଇତି ଶ୍ରୀ ସୁଦଶା ବ୍ରତ ସଦା ଜୟେ

ସମାପ୍ତ

© Copyright Entrance India - Engineering and Medical Entrance Exams in India | Website Maintained by Firewall Firm - IT Monteur